Responsive Ad Slot

ନୂଆ ଖବର

latest

ଦୁର୍ଗାପୂଜା ଉପଲକ୍ଷେ ନୂତନ ଇ-ବୁକ୍ ଆମାଜନ୍ କିଣ୍ଡଲରେ ଉନ୍ମୋଚନ

Saturday, October 5, 2019

/ by Gapu

ଭଦ୍ରକ (୫ ଅକ୍ଟୋବର ୨୦୧୯): ଦୁର୍ଗାପୂଜାକୁ ପୃଥିବୀର ଆବାଳବୃଦ୍ଧବନିତା ସତେ ଯେମିତି ଅପେକ୍ଷା କରି ବସିଥାନ୍ତି । ମାଆ ଦଶଭୁଜାଙ୍କର ଧରାବତରଣ ପାଇଁ ଧରଣୀ ଯେମିତି ସବୁଜ ରଙ୍ଗ ପରିଧାନ କରି ଧଳା ଚାମର ସ୍ୱରୂପ କାଶତଣ୍ଡୀ ଫୁଲରେ ପୂରି ଉଠେ, ସେହିଭଳି ଲୋକମାନେ ମଧ୍ୟ ନିଜ ନିଜର ପ୍ରସ୍ତୁତି ଚଲାଇଥାନ୍ତି । ଏଥର ଦୁର୍ଗାପୂଜା ଅବସରରେ ଓଡ଼ିଶାର କିଛି କିଛି ଦୁର୍ଗାପୂଜାର ଫଟୋଚିତ୍ର ସହ ଦୁର୍ଗାପୂଜା ବିଧି, ପାଳନ ଓ ଆୟୋଜନ ସମ୍ୱନ୍ଧୀୟ ସମ୍ୟକ ସୂଚନା ପ୍ରଦାନ କରି ଏକ ପୁସ୍ତକ ରଚନା କରିଛନ୍ତି ଓଡ଼ିଆ ଯୁବକ ସଂଗ୍ରାମ କେଶରୀ ସେନାପତି ।

ଓଡ଼ିଆ ଉଇକିପିଡ଼ିଆରେ ଲଗାତାର ଦୁଇବର୍ଷରୁ ଅଧିକ ସମୟ ଯାଏଁ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ପ୍ରସଙ୍ଗ ଲେଖି ବିଶ୍ୱ ରେକର୍ଡ଼ ସୃଷ୍ଟି କରିଥିବା ସଂଗ୍ରାମ ଓଡ଼ିଶାର ଭଦ୍ରକ ଏବଂ କଳାହାଣ୍ଡି ଜିଲ୍ଲାରୁ ସଂଗୃହୀତ କିଛି ଫଟୋଚିତ୍ରକୁ ସଜାଇ ଦେଇଥିଲେ ଏକ ପୁସ୍ତକର ରୂପ । ଓଡ଼ିଶାର ଦୁର୍ଗାପୂଜର ମୁଖ୍ୟ ସମୟ ହେଉଛି ଷଷ୍ଠୀ ପୂଜାରୁ ଦଶହରା, ତେଣୁ ସେ ଏହି ଦିନଗୁଡ଼ିକୁ ମୁଖ୍ୟତଃ ଆଖି ଆଗରେ ରଖି ଫଟୋଗୁଡ଼ିକ ନେଇ ପ୍ରସ୍ତୁତ ହୋଇଛି ଏହି ଫଟୋବୁକ୍, ଯାହକି ଏବେ ଆମାଜନ୍‌ର କିଣ୍ଡଲରେ ଉପଲବ୍ଧ ।

କିଣ୍ଡଲର ନିୟମରେ ଥିବା ସର୍ବନିମ୍ନ ମୂଲ୍ୟ ୬୯ଟଙ୍କାରେ ଏହି ବହିଟି କିଣ୍ଡଲରେ ଉପଲବ୍ଧ । ଯେହେତୁ ଏହି ବହିଟି ଓଡ଼ିଆରେ ରଚିତ ହୋଇଛି ଏବଂ ଦୁର୍ଗାପୂଜା ସମ୍ବନ୍ଧୀୟ ତଥ୍ୟ ଏଥିରେ ଉଲ୍ଲେଖ ରହିଛି, ତେଣୁ ସପ୍ତମୀ ପୂଜାଠାରୁ ଦଶହରାଯାଏଁ ଏହି ବହିଟିକୁ ଆପଣ କିଣ୍ଡଲରୁ ମୁକ୍ତ ଭାବରେ ପାଇପାରିବେ ବୋଲି ସଂଗ୍ରାମ ସୂଚନା ଦେଇଛନ୍ତି । ସଂଗ୍ରାମ ଓଡ଼ିଶା ଇ-ପତ୍ରିକା ଶୁଭପଲ୍ଲବର ପ୍ରତିଷ୍ଠାତା ଏବଂ ସମ୍ପାଦକ, ଯାହାକି ଏବେ ଓଡ଼ିଆ ଭାଷା ସମେତ ଇଂରାଜୀ, ହିନ୍ଦୀ, ବଙ୍ଗଳା ଓ ସଂସ୍କୃତ ଭାଷାରେ ଉପଲବ୍ଧ ହେଉଛି ।
Don't Miss
© all rights reserved
made with by templateszoo | Upated by GAPU