- ପ୍ରଥମ ପତାକା ୧୯୦୬ ଅଗଷ୍ଟ ୭ତାରିଖରେ ପାର୍ସୀ ବାଗାନ୍ ଚୌକ୍ (ଗ୍ରୀନ୍ପାର୍କ) କଲିକତାରେ ଉଡ଼ାଯାଇଥିଲା। ଏହି ଧ୍ୱଜ ଲାଲ୍, ହଳଦିଆ ଏବଂ ସବୁଜ ରଙ୍ଗର କପଡ଼ାରେ ପ୍ରସ୍ତୁତ ହୋଇଥିଲା ।
- ମ୍ୟାଡମ ଭିକାଜୀ ରୁସ୍ତମ କାମା ୧୯୦୭ ଅଗଷ୍ଟ ୨୨ ତାରିଖରେ ଜର୍ମାନୀର ଷ୍ଟଟ୍ଗ୍ରାଟଠାରେ ଭାରତର ଜାତୀୟ ପତାକା ଉଡ଼ାଇଥିଲେ । ବିଦେଶ ମାଟିରେ ତ୍ରିରଙ୍ଗା ଉଡ଼ିବାର ଏହା ଥିଲା ପ୍ରଥମ ଘଟଣା ।
- ରାଷ୍ଟ୍ରପତି ଭବନ ସଂଗ୍ରହାଳୟରେ ଏପରି ଏକ ଲଘୁ ତ୍ରିରଙ୍ଗା ରହିଛି ଯାହାକୁ ସୁନାର ସ୍ତମ୍ଭରେ ହୀରା ଆଦି ଦୁର୍ମୂଲ୍ୟ ରତ୍ନ ଖଚିତ କରି ପ୍ରସ୍ତୁତ କରାଯାଇଛି ।
- ୧୯୮୪ ମସିହାରେ ୱିଙ୍ଗ କମାଣ୍ଡର ରାକେଶ ଶର୍ମା ପ୍ରଥମ ଭାରତୀୟ ଭାବେ ମହାକାଶଯାତ୍ରା କରିଥିଲେ । ତାଙ୍କ ସହ ବ୍ୟାଜ୍ ଆକାରରେ ତ୍ରିରଙ୍ଗା ମହାକାଶକୁ ଯାଇଥିଲା । ଏହା ପୂର୍ବରୁ ୧୯୭୧ ମସିହାରେ ଆପୋଲୋ-୧୫ ଅଭିଯାନରେ ବି ମହାକାଶକୁ ଯାଇଥିଲା ତ୍ରିରଙ୍ଗା ।
- ଏଭରେଷ୍ଟ ଶୃଙ୍ଗରେ ପ୍ରଥମ ଥର ପାଇଁ ୧୯୫୩ ମସିହାର ମଇ ୨୯ ତାରିଖରେ ତ୍ରିରଙ୍ଗା ଉଡ଼ାଯାଇଥିଲା । ଏହା ସହିତ ଉଡ଼ିଥିଲା ୟୁନିଅନ ଜ୍ୟାକ୍ ଏବଂ ନେପାଳର ଜାତୀୟ ପତାକା । ସେର୍ପା ତେନ୍ଜିଂ ନୋର୍କେ ଏବଂ ଆଡମଣ୍ଡ ହିଲାରୀ ଏଭରେଷ୍ଟ ବିଜୟ ହାସଲ କରିବା ପରେ ଏପରି କରିଥିଲେ ।
- ୧୯୯୬ ଏପ୍ରିଲ ୨୧ରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ସଞ୍ଜୟ ଥାପର ଏମ୍ଆଇ-୮ ହେଲିକପ୍ଟରରୁ ୧୦ହଜାର ଫୁଟ ତଳକୁ ଡେଇଁ ପ୍ରଥମ ଥର ପାଇଁ ଉତ୍ତର ମେରୁରେ ତ୍ରିରଙ୍ଗା ଉଡ଼ାଇଥିଲେ। ଏଥିସହିତ ଦିଲ୍ଲୀ ନିକଟସ୍ଥ ହିଣ୍ଡନ୍ଠାରେ ୧୯୯୭ ମସିହାର ଅଗଷ୍ଟ ମାସ ୬ ତାରିଖରେ ୨୨୨୬ ବର୍ଗଫୁଟର ୬୫କିଲୋଗ୍ରାମ ଓଜନର ତ୍ରିରଙ୍ଗା ଧରି ଡେଇଁବାର ରେକର୍ଡ଼ ମଧ୍ୟ ତାଙ୍କ ନାମରେ ରହିଛି।
- ୨୦୦୭ ମସିହାରେ ୫୮ତମ ଗଣତନ୍ତ୍ର ଦିବସ ଅବସରରେ ଭାରତୀୟ ଅଭିଯାତ୍ରୀ ଅଜିତ ବଜାଜ ଦକ୍ଷିଣ ମେରୁରେ ତ୍ରିରଙ୍ଗା ଉଡ଼ାଇଲେ ଏବଂ ଉଭୟ ଦକ୍ଷିଣ ଓ ଉତ୍ତର ମେରୁ ଯାଇଥିବା ପ୍ରଥମ ଭାରତୀୟ ହେବାର ଖ୍ୟାତି ଅର୍ଜନ କରିଥିଲେ ।

