ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସୋମବାର କମ୍ପାନୀର ବାର୍ଷିକ ବୈଠକରେ ‘ଜିଓ ଜିଗାଫାଇବର’ ବିଷୟରେ ସବୁଠୁ ବଡ଼ ଘୋଷଣା କରିଛନ୍ତି । ଜିଓ ଜିଗାଫାଇବର ସହ ୱେଲକମ ଅଫର ସମ୍ପର୍କରେ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି ।
ଜିଓ ଜିଗାଫାଇବର ବଜାରକୁ ପ୍ରବେଶ କବିର ସେପ୍ଟେମ୍ବର ୫ ତାରିଖରେ । ଜିଓ ଜିଗାଫାଇବର ପ୍ଲାନ ୭୦୦ ଟଙ୍କାରୁ ଆରମ୍ଭ ହୋଇ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିବ । କମ୍ପାନୀ ସେପ୍ଟେମ୍ବର ୫ରେ ଏନେଇ ବିଭିନ୍ନ ଯୋଜନାର ଘୋଷଣା କରିବ । ଜିଓ ଜିଗାଫାଇବରରେ ସବୁଠୁ କମ୍ ମୂଲ୍ୟର ପ୍ଲାନରେ ବ୍ୟବହାରକାରୀଙ୍କୁ ସେକେଣ୍ଡ ପ୍ରତି ୧୦୦ ଏମ୍ବି ପର୍ଯ୍ୟନ୍ତ ସ୍ପିଡ୍ ମିଳିବ । ଏହାର ପ୍ରମିୟମ ପ୍ୟାକେଜରେ ଏହି ସ୍ପିଡ୍ ସେକେଣ୍ଡ ପ୍ରତି ୧ ଜିବି ପର୍ଯ୍ୟନ୍ତ ରହିବ । ପ୍ରକାଶ ଯେ ଏବେ ଭାରତରେ ଫିକ୍ସଡ୍ ବ୍ରଡବ୍ରାଣ୍ଡରେ ଡାଉନଲୋଡ ସ୍ପିଡ ୨୬.୪ ଏମବିପିଏସ୍ ରହିଛି ଓ ଅପଲୋଡ ସ୍ପିଡ ୨୧.୯୧ ଏମବିପିଏସ୍ ଅଛି ।
ଜିଓ ଜିଗାଫାଇବରର ୭୦୦ ଟଙ୍କିଆ ପ୍ଲାନରେ ଉପଭୋକ୍ତାଙ୍କୁ ଏଚଡି/୪କେ ଏଲଇଡି ଟେଲିଭିଜନ ସେଟ ଏବଂ ୪କେ ସେଟଅପ ବକ୍ସ ମାଗଣା ମିଳିବ । ଅର୍ଥାତ ଗ୍ରାହକଙ୍କୁ କେବଳ ଡାଟା ପାଇଁ ମୂଲ୍ୟ ଦେବାକୁ ପଡ଼ିବ । ଭଏସ କଲ ସବୁଦିନ ପାଇଁ ଅସୀମିତ ରହିବ ।
ଜିଓ ଜିଗାଫାଇବରରେ ନୂଆ ଚଳଚ୍ଚିତ୍ର ମୁକ୍ତିଲାଭ କରୁ କରୁ ‘ପ୍ରଥମ ଦିନ ପ୍ରଥମ ଶୋ’ ଦେଖାଇବ । ଅର୍ଥାତ ଜିଓ ଜିଗାଫାଇବରର ଉପଭୋକ୍ତା ଘରେ ବସି ପ୍ରଥମ ଦିନ ହିଁ ନୂଆ ଚଳଚ୍ଚିତ୍ର ଦେଖିପାରିବେ । ତେବେ ଏହି ସୁବିଧା ୨୦୨୦ ମସିହାର ମଧ୍ୟଭାଗରୁ ଆରମ୍ଭ ହେବ ବୋଲି ଅମ୍ବାନୀ କହିଛନ୍ତି । ଘରେ ବସି ସିନେମା ହଲ୍ର ମଜା ନେବା ପାଇଁ ‘ମିକ୍ସଡ୍ ରିଆଲିଟି ଡିଭାଇସ’ର ଲଞ୍ଚ କରାଯାଇଛି । ଏହି ଉପକରଣରେ ଅନ୍ୟ କିଛି ଫିଚର ରହିବ । ଆକାଶ ଏବଂ ଇଶା ଅମ୍ବାନୀ ‘ମିକ୍ସ ରିଆଲିଟି’ (ଏମଆର) ଡିଭାଇସର ପ୍ରଦର୍ଶନ କରିଛନ୍ତି । ଏହାକୁ କମ୍ପାନୀର ଏମଆର ଲ୍ୟାବରେ ପ୍ରସ୍ତୁତ କରାଯାଇଛି । ମିକ୍ସ ରିଆଲିଟି ମନୋରଞ୍ଜନ ଅନୁଭୂତିକୁ ଉତ୍କର୍ଷ କରିବାରେ ସହାୟକ ହେବ । ଏଥିରେ ସବୁ ପ୍ରକାର ଖେଳ ‘ଗେମ’ ଉପଲବ୍ଧ ରହିବ । ଏଥିପାଇଁ ମାଇକ୍ରୋସଫ୍ଟ ଏବଂ ଟେସେଣ୍ଟ ସହ ଚୁକ୍ତି କରାଯାଇଛି । ରିମୋର୍ଟ ଟିଭିରେ ଭିଡିଓ କନଫ୍ରେନ୍ସିଂର ସୁବିଧା ଉପଲବ୍ଧ ରହିବ । ବ୍ରଡବ୍ରାଣ୍ଡ ସହ ଲ୍ୟାଣ୍ଡଲାଇନ ଫୋନ୍ ମାଗଣା ମିଳିବ ।

