Responsive Ad Slot

ନୂଆ ଖବର

latest

ଦ୍ବିତୀୟ ଦିନରେ ବି ବିଧାନ ସଭା ଗୃହ ଅଚଳ, ଆଜି ହେବ ମୁଲତବୀ ଆଲୋଚନା

Tuesday, July 23, 2019

/ by Gapu
ଭୁବନେଶ୍ବର (୨୩ ଜୁଲାଇ ୨୦୧୯): ନାବାଳିକା ଦୁଷ୍କର୍ମ ଓ ନିଖୋଜ ହେବା ପ୍ରସଙ୍ଗରେ ଓଡ଼ିଶା ବିଧାନ ସଭାରେ ଜୋର୍ ଧରିଛି ବିରୋଧୀଙ୍କର ହଟ୍ଟଗୋଳ । ଏହିଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା କରି ସରକାର ଉଚିତ ପଦ‌େକ୍ଷପ ନିଅନ୍ତୁ ବୋଲି ଉଭୟ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି । ବିରୋଧର ପ୍ରକୋପ ଏତେ ଥିଲା ଯେ ଲଗାତର ଦ୍ବିତୀୟ ଦିନ ପାଇଁ ଗୃହ ଚାଲିପାରି ନ ଥିଲା । ଆଜି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା, ଖର୍ଚ୍ଚଦାବି ଆଲୋଚନା କିଛି ହୋଇପାରି ନ ଥିଲା । ବାରମ୍ବାର ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା । ଗୃହ କାର୍ଯ୍ୟ କେବଳ ୧୧ ମିନିଟ୍ ପର୍ଯ୍ୟନ୍ତ ଚାଲିପାରିଥିଲା ।

ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେପି ଓ କଂଗ୍ରେସ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ପଡ଼ିଥିଲେ । ବିଜେପି ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ମାଡ଼ି ଆସିଥିଲା ବେଳେ କଂଗ୍ରେସ ସଭ୍ୟମାନେ ନିଜ ନିଜ ଆସନରେ ଠିଆ ହୋଇ ସରକାରଙ୍କ ବିରୋଧରେ ନାରା ଲଗାଇଥିଲେ । ନାବାଳିକା‌ ଦୁଷ୍କର୍ମ ବଢ଼ିଚାଲିଥିଲା ବେଳେ ତା' ଉପରେ ଉଚିତ ଆଲୋଚନା ନ କରିବା ଯାଏଁ ଅନ୍ୟ କୌଣସି କାର୍ଯ୍ୟକୁ ନ ଯିବା ପାଇଁ ଉଭୟ ଦଳ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଜେପି ସଭ୍ୟମାନେ ନାରାବାଜି କରିଥିଲେ । ଗୃହରେ ଅସ୍ବାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା । ତା'ରି ଭିତରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରି ଏକ ପ୍ରଶ୍ନର ଉତ୍ତର ଦେବାକୁ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଡାକିଥିଲେ ଓ ଏଥିରେ ବିରୋଧୀ ଅଧିକ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ । ବିରୋଧୀ ଦଳ ମୁଖ୍ୟ ସ‌େଚତକ ମୋହନ ମାଝୀ ଚେୟାର ଉପରେ ଠିଆ ହୋଇ ବାଚସ୍ପତିଙ୍କ ପୋଡ଼ିୟମ୍‌ ବାଡ଼େଇଥିଲେ । ଏମିତି ଘୋ ଘା ଭିତରେ ମନ୍ତ୍ରୀଙ୍କ ଉତ୍ତର ଶୁଣାଯାଇ ନ ଥିଲା । ବାଧ୍ୟ ହୋଇ ବାଚସ୍ପତି ୧୦ଟା ୩୨ରେ ଗୃହକୁ ସିଧା ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ୩ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ସମାନ ଦୃଶ୍ୟ ଦେଖିବାକୁ ମିଳିଲା । ଉଭୟ ବିଜେପି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି‌ଥିଲେ । ୩ ମିନିଟ୍ ପରେ ଅର୍ଥାତ ୩ଟା ୩ରେ ବାଚସ୍ପତି ଗୃହକୁ ଅଧ ଘଣ୍ଟା ମୁଲତବୀ ରଖିଥିଲେ । ୩ଟା ୩୩ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ବାଚସ୍ପତି ଗୃହକୁ ଚଳାଇ ରଖିବାକୁ ଉଦ୍ୟମ କଲେ, କିନ୍ତୁ ବିରୋଧୀଙ୍କ ପ୍ରତିବାଦର ସ୍ବର ଏତେ ତୀବ୍ର ଥିଲା ଯେ ଗୃହ ଚଳାଇବା ସମ୍ଭବପର ହୋଇପାରିନଥିଲା । ୩ଟା ୩୭ରେ ପୁଣି ଅଧ ଘଣ୍ଟା ମୁଲତବୀ ରଖାଗଲା । ୪ଟା ୭ରେ ବାଚସ୍ପତି ଗୃହକୁ ଆସି ସର୍ବଦଳୀୟ ବୈଠକ ଡକାଯିବା ନେଇ ଘୋଷଣା କରି ୪ଟା ୮ରେ ଗୃହକୁ ଏକ ଘଣ୍ଟା ମୁଲତବୀ ରଖିଥିଲେ । ବୈଠକ ଚାଲିଥିବାରୁ ୫ଟା ୮ରୁ ୫ଟା ୩୮, ୫ଟା ୩୮ରୁ ୬ଟା ୮, ୬ଟା ୮ରୁ ୬ଟା ୩୮ ଯାଏ ଗୃହ ମୁଲତବୀ ରହିଥିଲା । ୬ଟା ୩୮ରେ ଗୃହ କାର୍ଯ୍ୟ ଆରମ୍ଭ ହେଲା। ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲି ନାବାଳିକା ଦୁଷ୍କର୍ମ ଓ ନିଖୋଜ ପ୍ରସଙ୍ଗରେ ମୁଲତବୀ ଆଲୋଚନା ହେବ ବୋଲି ବାଚସ୍ପତି ସୂଚନା ଦେଇଥିଲେ ।

Don't Miss
© all rights reserved
made with by templateszoo | Upated by GAPU