ଆଗ୍ରା: ସାତ ଦିନିଆ ଭାରତ ଗସ୍ତରେ ଆସିଥିବା କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ୍ୟୁ ଆଜି ତାଙ୍କର ପରିବାର ସହ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଭାସ୍କର୍ଯ୍ୟ ଆଗ୍ରାର ତାଜମହଲ ପରିଦର୍ଶନ କରିଛନ୍ତି । ଆଜି ସକାଳ ସାଢ଼େ ୧୦ଟାରେ ପତ୍ନୀ ସୋଫି ଗ୍ରିଗଏର୍ ଏବଂ ତିନି ସନ୍ତାନଙ୍କ ସହ ୪୬ ବର୍ଷୀୟ ଟ୍ରୁଡ୍ୟୁ ଦିଲ୍ଲୀରୁ ଆସି ପହଞ୍ଚିିବା ପରେ ତାଜମହଲ ପରିସରରେ ସପରିବାର ଫଟୋ ଉଠାଇଥିଲେ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ସୁନ୍ଦର ସ୍ଥାନ ଦେଖିବାର ସୌଭାଗ୍ୟ ଲଭିଛନ୍ତି ବୋଲି ସେ ପରିଦର୍ଶକ ଗ୍ରନ୍ଥରେ ମନ୍ତବ୍ୟ ଦେଇଛନ୍ତି । ତାଙ୍କର ଏହି ଗସ୍ତ କାଳରେ ସେ ଦିଲ୍ଲୀର ଜମା ମସଜିଦ୍, ଗୁଜରାଟର ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିର ଏବଂ ଅମୃତସରର ସ୍ୱର୍ଣ୍ଣ ମନ୍ଦିର ପରି ବିଭିନ୍ନ ଧର୍ମର ଉପାସନା ସ୍ଥଳ ପରିଭ୍ରମଣ କରିବେ । ଏଥି ସହିତ ଟ୍ରୁଡ୍ୟୁ ଆସନ୍ତା ୨୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜି ଲଗାଣ, ଶକ୍ତି, ବିଜ୍ଞାନ, ଉଚ୍ଚ ଶିକ୍ଷା, ସୁରକ୍ଷା, ଆତଙ୍କବାଦ ଦମନ ଏବଂ ଦକ୍ଷତା ଓ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପାରସ୍ପରିକ ସହଯୋଗ ପାଇଁ ରାଜିନାମା ସ୍ୱାକ୍ଷର କରିବାର କାର୍ଯ୍ୟକ୍ରମ ରହିଛି ।
